Unknown

 

 

 

 

 

 

 

 

 

 

ଝାଇଁ ଝପର୍ ଝୁମ୍

(ଶିଶୁ କବିତା ସଂକଳନ)

ହରିବନ୍ଧୁ ପ୍ରଧାନ

 

 

 

 

 

 

 

 

 

ମୋର ପିତା ସ୍ୱର୍ଗୀୟ ମହେନ୍ଦ୍ର ପ୍ରଧାନ

ମାତା ସ୍ଵର୍ଗୀୟ ମନ୍ଦୋଦରୀ ପ୍ରଧାନଙ୍କ

ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ.......

 

ସୂଚୀପତ୍ର

 

୧.

ଝାଇଁଝପର୍ ଝୁମ୍

୨.

ଗୋସେଇଁ କକା

୩.

ମୂଷା ଗୋ ମୂଷା

୪.

ଦୁଇ ଭଉଣୀ

୫.

ବାଘ ମାମୁ

୬.

ଆମରି ଗାଁ

୭.

ଦୁଇଟି ଶୁଆ

୮.

ସୁନା ପିଲା

୯.

ହୀରାକୁଦ ବନ୍ଧ

୧୦.

ଓଲା କୁକୁର

୧୧.

ଅଳସୁଆ ହେବା ଫଳ

☆☆☆

 

ଝାଇଁ ଝପର୍ ଝୁମ୍

 

ଝାଇଁ ଝପର୍ ଝୁମ୍

ଝାଇଁ ଝପର୍ ଝୁମ୍

ଆସରେ ପିଲେ ଖେଳିବା ଖେଳ

ପାଦେ ମୋ’ ବାଜେ ଘାଗୁଡ଼ି ମାଳ

ମୋ’ ନାଆଁଟି ସଉଦା ମିନୀ

ପାଖରେ ଅଛି ହାଉଦା ନାନୀ

ଜାଣିଚି ସିଏ ବହୁତ ଖେଳ

ଘରୁ ଆସୁନ କିଆଁ ସଅଳ ?

ମନକି ତମ ହେଇଚି ଖଟା

ବସିଚ ହୋଇ ଗୁମ୍

ଝାଇଁ ଝପର୍ ଝୁମ୍ ।

ଝାଇଁ ଝପର୍ ଝୁମ୍

ଝାଇଁ ଝପର୍ ଝୁମ୍

କହିଲେ କାଲି ଗୋପ ଭାଇନା

“ଫୁର୍ତ୍ତି ଲାଗେ ଖେଳିଲେ ସିନା

ରକତ ହୁଏ ଦେହରେ ତାଜା

ମନବି ଲାଗେ କାମରେ ସଦା

ଧରିପାରେନି ଆମକୁ ରୋଗ

ବଳୁଆ ହୁଏ ଦେହତ ଆଗ”

ଆସରେ ଆସ ପଦାକୁ ଆସ

ଖେଳିବା ଆଜି ଧୁମ୍‌

ଝାଇଁ ଝପର୍ ଝୁମ୍ !!!

 

(ମାସିକ ମୀନାବଜାର ମାର୍ଚ୍ଚ-୧୯୬୧ ସଂଖ୍ୟାରେ ପ୍ରକାଶିତ)

☆☆☆

 

ଗୋସେଇଁ କକା

 

ଗୋସେଇଁ କକା

ପିଲାଙ୍କୁ ହସାନ୍ତି ନାଚି ନାଚିକା ।

ଚୁଟି ତାଙ୍କର

ହାତେ ଲମ୍ବର

ଫୁଲ ଝୁଲୁଥାଏ ଅଗରେ ତା’ର ।

ଗୋସେଇଁ କକା

ଭଲଗୀତ ଗାଇ ଜାଣନ୍ତି ଏକା ।

ପୂଜା ପାଠରେ

କେ’ ତାଙ୍କୁ ପାରେ ?

ମିଠା ମିଠା କଥା କହନ୍ତି ଧୀରେ ।

ଗୋସେଇଁ କକା

ମୁହଁ ତାଙ୍କ କେବେ ପଡ଼େନି ଫିକା

ମନ ତାଙ୍କର

ଅତି ଉଦାର

ଜାଣନ୍ତି ନାହିଁ ସେ ନିଜ ଓ ପର

ସଭିଙ୍କୁ ମଣନ୍ତି ସେ ଆପଣାର ।

 

(ମାସିକ ଟୁଆଁ ଟୁଇଁ ନଭେମ୍ବର ୧୯୬୦ ସଂଖ୍ୟାରେ ପ୍ରକାଶିତ)

 

ମୂଷା ଗୋ ମୂଷା

 

ମୂଷା ଗୋ ମୂଷା, ଗୁଣ୍ଡୁଚି ମୂଷା

ତାଳ ଗଛରେ କରିଚ ବସା

ଡାଳକୁ ଡାଳ ଯାଉଚ ଡେଇଁ

ମୋ କଥା ଟିକେ ଶୁଣିବ ନାହିଁ ?

ଚିଇଣି ଚିଣି କି କଥା କୁହ ?

ଲାଙ୍ଗୁଳ ଟେକି ଦଉଡ଼ିଯାଅ

ବସାରେ ତମ ତିନୋଟି ଛୁଆ

ଡାକୁ ଅଛନ୍ତି “ମାଆଲୋ ମାଆ

ଡର ମାଡ଼ୁଛି, ଗିରିଧ ଆସି

ଖାଇବ ବୋଲି ଜଗିଚି ବସି”

ଯାଉଚି ମୁଁ ଗୋ ପଥର ମାରି

ଗିରିଧଟାକୁ ଦଉଚି ତଡ଼ି ।

ବାହାରୁ ତମେ ପାଇବ କିସ

ଚାଉଳ ମୁଠେ ଦଉଚି ଆସ

ଛୁଆଙ୍କୁ ତମେ ଖୋଇବ ନେଇ

ଭୋକରେ ଥିବେ ତମକୁ ଚାହିଁ

ମତେ କି ତମେ ଡରୁଚ କୁହ ?

ଚମକି ପଡ଼ି ପଛକୁ ଚାହଁ

ଆସ ଗୋ ଏଇ ଝରଣା କୂଳ

ଆଜି ଗୋ ଆମେ ଖେଳିବା ଖେଳ ।

ସଫା ସୁତୁରା ତମରି ଦେହ

ଆଉଁସି ଦେବି କରି ସେନେହ

କହିବ ତମ ପିଠି ଉପର

କେମିତି ହେଲା ଏମିତି ଗାର ।

ଏଇଗୋ ଦେଖ ଜାମୁ ଗଛରେ

ପାଚିଚି କୋଳି କେତେ ଉପରେ

ଚଢ଼ିବ ତମେ, ଆଣିବ ତୋଳି

ତଳେ ଥାଇ ମୁଁ ମାରିବି ତାଳି ।

☆☆☆

 

ଦୁଇ ଭ‌ଉଣୀ

 

ସୀମା, ସେବତୀ ଦୁଇ ଭ‌ଉଣୀ

ପଢ଼ନ୍ତି ଏକା ପାଠ

ଏକା ସାଥିରେ ପଢ଼ି ଯାଆନ୍ତି

ନ କରି କେବେ ମଠ ।

ନିଇତି ସୀମା କଜିଆ କରେ

ମାରେ କାହାକୁ କେବେ

ନିର୍ଧୁମ୍ ମାଡ଼ ଦିଅନ୍ତି ମାଷ୍ଟ୍ରେ

ପିଲେ କହନ୍ତି ଯେବେ ।

ଘରକୁ ଫେରି ବାଲିରେ ଗଡ଼ି

କାନ୍ଦେ ବିକଳେ ସୀମା

ସ୍ନେହରେ ମାଆ ବୁଝାନ୍ତି ତାକୁ

ବୁଝେନି ସିଏ ଜମା ।

ସେବତୀ ଭାରି ସରଳ ଝିଅ

କହେନି କିଛି କା’ରେ

ସମସ୍ତେ ଭଲ ପାଇ ଡାକନ୍ତି

ସୁନା ଝିଅଟି ତା’ରେ ।

ଗୁଣ ନଥିଲେ କେବେ ହେଁ ସ୍ନେହ

କେହି କରନ୍ତି ନାହିଁ

ପଲାଶ ଫୁଲ ଆଦର କେବେ

ପାଏ କି କହ ଭାଇ ?

 

(ମାସିକ ଟୁଆଁ ଟୁଇଁରେ ପ୍ରକାଶିତ)

☆☆☆

 

ବାଘ ମାମୁ

 

ବାଘ ମାମୁ ଦିନେ ଧଡ଼ ପଡ଼ ହୋଇ

ଦ‌ଉଡ଼ିଲା ରାଗେ ବଣେ ବଣେ

ପେଟରୁ ତାହାର ମଳା ମଳା ହୋଇ

ରକତ ପଡ଼ୁଛି ଏଣେ ତେଣେ ।

ହାଉଁ ହାଉଁ ହୋଇ ସାନ ସାନ ଗଛ

କାମୁଡ଼ିଲା କରି କଡ଼ ମଡ଼

ଶୁଖିଲା ପତର ଭଡ଼ ଭଡ଼ ହୁଏ

ଶୁଖା କାଠ ଶୁଭେ ମଡ଼ ମଡ଼ ।

ମିରିଗ ଶିଆଳ ଦଳ ଦଳ ହୋଇ

ଭୟେ ପଳାଇଲେ ଏଣେ ତେଣେ

ଗଛରୁ ଚଢ଼େଇ ଫଡ଼ ଫଡ଼ ହୋଇ

ଉଡ଼ି ଚାଲିଗଲେ କିଏ କେଣେ ।

ବାଘ ମାମୁ ଘରେ ପଥର ଗୁମ୍ଫାରେ

ପଡ଼ିଗଲା ଯାଇ ଧାଇଁ ଧାଇଁ

ବାଘ ମାଇଁ ଦେଖି ପେଟର ରକତ

କାନ୍ଦି ପାକାଇଲା କଇଁ କଇଁ ।

ବାଘ ଛୁଆମାନେ ଶୋଇଥିଲେ ଭୋକେ

ବାଘ ଫେରିବାକୁ ଚାହିଁ ଚାହିଁ

ମାଉଁସ ଆଣିବ ନିକଟ ବଣରୁ

ଯାଇଥିଲା ବାପ କହି କହି ।

ଦିନ ବେଳେ ବାଘ ମଇଁଷି ପଲରୁ

ମାରିଥିଲା ଗୋଟେ ଛପି ଛପି

ମଝିଆଁ ପଧାନ ବନ୍ଧୁକ ହାତରେ

ଆସିଲେ ପାଦକୁ ଚିପି ଚିପି ।

ବାଘ ଯେତେବେଳେ ମଲା ମଇଁଷିରୁ

ରକତ ପିଇଲା ଚାଉଁ ଚାଉଁ

ଦୁଇ ଗୋଟା ଗୁଳି ବାଘର ପେଟରେ

ବାଜିଗଲା ଆସି ଦାଉଁ ଦାଉଁ ।

ମରିଗଲା ବାଘ ଗୁମ୍ଫାରେ ତାହାର

ମାଟିରେ ଗୋଡ଼କୁ ଘୋରି ଘୋରି

ଛୁଆମାନେ ତାର ନିଦରୁ ଉଠିଲେ

କାନ୍ଦିଲେ ବାପକୁ ଝୁରି ଝୁରି ।

☆☆☆

 

ଆମରି ଗାଆଁ

 

ଆମରି ଗାଆଁ

କେଡ଼େ ସୁନ୍ଦର

ବଣ ପାହାଡ଼ ଘେରା

ଏହାର ପାଣି

ପବନ ମୋତେ

ଲାଗେ ସରଗ ପରା ।

ତାଳ ବଣକୁ

ଦେଖିଲେ ଦୂରୁ

ଚିହ୍ନେ ଆମରି ଗାଆଁ

ବାଡ଼ିରୁ ଯେବେ

ଉଡ଼ନ୍ତି କୁଆ

ବୋବାଇ କାଆ କାଆ ।

ଝରଣା ପାଣି

କେଡ଼େ ଶୀତଳ

ବହଇ କଳ କଳ

ମନ ମଉଜେ

ପିଅନ୍ତି ଆସି

ମିରିଗ ଦଳ ଦଳ ।

ଫଗୁଣ ମାସେ

ସୁଲୁ ସୁଲିଆ

ବାଆ ବହିଲେ ଧୀରେ

ଆମ୍ବ ତୋଟାରେ

କୋଇଲି ଗାଏ

କେଡ଼େ ମଧୁର ସୁରେ ।

ଦୂର ଆକାଶେ

ଜହ୍ନ ମାମୁଟି

ହସିଲେ ଖିଲି ଖିଲି

କେତେ ଜାତିର

ଖେଳନ୍ତି ଖେଳ

ଗାଆଁ ପିଲାଏ ମିଳି ।

ବରଷା ହେଲେ

ଚଷା ଭାଇର

ଆନନ୍ଦ ନୋହେ କହି

ବେଙ୍ଗ ରାଜାର

ବାଇଦ ବାଜେ

ସାରୁ ମୂଳରେ ଥାଇ ।

ଭୁଲି କି କେବେ

ପାରିବି କହ

ଏଡ଼େ ସୁନ୍ଦର ଭୂଇଁ

ମନ ମୋ ଟାଣେ

ଯେଉଁଠି ଥିଲେ

ଫେରି ଆସିବା ପାଇଁ ।

 

(ତା ୧୬.୩.୧୯୬୧ ଗୁରୁବାର ପ୍ରଜାତନ୍ତ୍ରର ସାପ୍ତାହିକ ମୀନାବଜାରରେ ପ୍ରକାଶିତ)

☆☆☆

 

ଦୁଇଟି ଶୁଆ

 

ମିନି ପୋଷିଥିଲା

ଦୁଇ ଗୋଟି ଶୁଆ

ସୁମନ, ରତନ ନାଆଁ

ବୟସରେ ସିନା

ସୁମନଟି ବଡ଼

ରତନ କଉତୁକିଆ ।

ପଞ୍ଜୁରୀ ଭିତରେ

ସୁମନ ବିଚାର

ଦୁଧ ଭାତ ଖାଇ ରହେ

ଦିନ ସାରା ବୁଲେ

ରତନ ବାହାରେ

ରାତି ମିନି ପାଖେ ଶୁଏ ।

ସୂରୁଜ ଦେବତା

ଉଠିବା ଆଗରୁ

ଉଠି ସୁମନ, ରତନ

ସୁର ଧରି ଦୁହେଁ

“ରଘୁପତି ଗୀତ”

ନିତି କରନ୍ତି ଭଜନ ।

ତାଙ୍କରି ଭାଷାରେ

କଥା ଭାଷା ହୋଇ

ଥଣ୍ଟକୁ ଥଣ୍ଟେ ଘଷନ୍ତି

ମିନି କହେ “ଏହା

ଜୁହାର ତାଙ୍କର

ଠାକୁରଙ୍କୁ ସେ ଜଣାନ୍ତି” ।

କୁକୁର ବିଲେଇ

ରତନକୁ ଦେଖି

କ୍ଷତି କିଛି କରନ୍ତିନି

ଯେଣୁ ସେ ଜାଣନ୍ତି

ପୋଷିଛି ଆଦରେ

ତାଙ୍କ ଛୋଟ ଖାମିନ୍ଦାଣୀ ।

ବାସଙ୍ଗ ବଣରେ

ଆନନ୍ଦେ ରତନ

ଦୋଳି ଖେଳୁଥିଲା ଦିନେ

ବଣଭୁଆ ଗୋଟେ

ଛପି ଛପି ଆସି

ଝାମ୍ପି ଧରିଗଲା କେଣେ ।

ଗଛ, ଲତା, ବୁଦା

ଖୋଜି ଖୋଜି ମିନି

‘ରତନ ରତନ’ ଡାକି

ପର କେଇ ଖଣ୍ଡି

ହିଡ଼ ତଳୁ ପାଇ

କାନ୍ଦିଲା ସେ କଇଁ କଇଁ ।

ଗୀତ ଗାଇଲାନି

କିଛି ଖାଇଲାନି

ନୀରବେ ବସି ସୁମନ

କର କର ହୋଇ

ସତେ ଅବା କାନ୍ଦେ

ବାହୁନି ରତନ ଗୁଣ ।

ସ୍ନେହ ଥିଲେ ଆମେ

ଯେତେ ସୁଖ ପାଉଁ

ସେତେ ଦୁଃଖ ବିଚ୍ଛେଦରେ

ଦିନରେ ଆଲୋକ

ଯେତେ ହୁଏ ସେତେ

ଅନ୍ଧାର ହୁଏ ରାତିରେ ।

☆☆☆

 

ସୁନା ପିଲା

 

ମହାନଦୀ କୂଳ ଗାଆଁ

କିଆକଟା ତା’ର ନାଆଁ ।

ପୁଅ ଝିଅ ଦୁଇ ଗୋଟି

ବାସ କରୁଥିଲେ ସେଠି ।

ଝିଅ ନାମଟି କୁସୁମ

କୁମାର ପୁଅଟି ନାମ ।

ନାହାନ୍ତି କୁସୁମ ବାପା

ଘରେ ମାଆ ତାର ଏକା ।

ଖାଇବାକୁ ନାହିଁ ଦାନା

ଦେହକୁ ନମିଳେ କନା ।

ଘରେ ଘରେ ମୂଲ ଲାଗି

ପେଟ ପୋଷେ ଦୁଃଖ ଭୋଗି ।

ରହେ ଭଙ୍ଗା କୁଡ଼ିଆରେ

ପାଣି ଗଳେ ବରଷାରେ ।

କୁମାରର ବାପା ଧନୀ

ଟଙ୍କାର ପଡ଼ିଛି ଖଣି ।

ଦୋ’ମହଲା କୋଠାଘର

ଖଟନ୍ତି କେତେ ଚାକର ।

କୁସୁମ, କୁମାର ନିତି

ନଈ ବାଲିରେ ଖେଳନ୍ତି ।

ଘରୁ ପିଠା ପଣା କେବେ

କୁମାର ଆଣିବ ଯେବେ ।

କୁସୁମ ସାଥିରେ ବସି

ଖାଉଥାଏ ହସି ହସି ।

କଥା ଶୁଣ ଦିନକର

କୁସୁସକୁ ହେଲା ଜର ।

କହିଲା “କୁମାର ଭାଇ

ବଞ୍ଚିବିନି ଆଉ ମୁହିଁ ।”

କୁମାର ଛାତିରେ କୋହ

ଆଖିରୁ ଝରିଲା ଲୁହ ।

ଘରକୁ ଦଉଡ଼ି ଗଲା

ବାପାଙ୍କୁ କାନ୍ଦି କହିଲା ।

ବାପା ଡାକତର ଆଣି

ଓଉଷଧ ଦେଲେ କିଣି ।

ଦୁଇଦିନେ କୁସୁମର

ଦେହରୁ ଛାଡ଼ିଲା ଜର ।

ଫଗୁଣ ମାସ ଆସିଲା

ଦକ୍ଷିଣୁ ବାଆ ବହିଲା ।

କୁସୁମ, କୁମାର ଆସି

ନଈ କୂଳେ ଥିଲେ ବସି ।

କୁସୁମ କହିଲା “ସତେ

କେତେ ଭଲ ପାଅ ମୋତେ” ।

ଯେ ଶୁଣିଲା ସେ କହିଲା

“କୁମାରଟି ଭଳ ପିଲା ।”

ସୁନା ହେବ ସିନା ପିଲେ

ପରକୁ ଆପଣା କଲେ ।

☆☆☆

 

ହୀରାକୁଦ ବନ୍ଧ

 

ମୋ ଦେଶର ଛୋଟ ପୁଅ ଝିଅ ଅଛ ଯେତେ

ଶୁଣିଥିବ ଅବା ପଢ଼ିଥିବ ତମେ କେତେ

ହୀରାକୁଦ ବନ୍ଧ କଥା

ଦେଖିନାହଁ ଯଦି ଦେଖିଯାଅ ଆସି ଥରେ

ଅକାରଣେ ଆଉ ଘୂରାଅନି ବସି ମଥା ।

 

ସମ୍ବଲପୁରରୁ ନଅ ମାଇଲ ଦୂରରେ

ହିଡ଼ ପଡ଼ିଅଛି ମହାନଦୀର ଉପରେ

ଷୋହଳ ମାଇଲ ଲମ୍ବା

ନାଲି, ନେଳି କେତେ ବିଜୁଳି ଆଲୁଅ ଦେଖି

ଫେରିବାକୁ ତମ ମନ ହେବ ନାହିଁ ଜମା ।

 

ଜବାହାର ଆଉ ଗାନ୍ଧୀ ମୀନାରେ ଚଢ଼ି

ଦେଖିବତ କେତେ ପାଣି ରହିଅଛି ବେଢ଼ି

ଦୁଇଶହ ହେବ ଗାଆଁ

ତାଆରି ଭିତରେ ରହିଥିଲା ଦିନେ ଶୁଣି

ଚମକିବ ତମେ ପାଟି ହୋଇଯିବ ଆଁ ।

 

ବିଜୁଳି ଆଲୁଅ ବାହାରୁଚି ସେଠୁ, ପୁଣି

ଯୋଡ଼ିଏ କେନାଲ ଯୋଗାଉଚି ସଦା ପାଣି

କେତେ ଗାଆଁ ବାର ମାସ

ଉପକାର ଯେଣୁ ପାଉଚି ଆମରି ଦେଶ

କୋଣାରକ ଠାରୁ ଅଧିକ ଲଭିଚି ଯଶ ।

☆☆☆

 

ଓଲା କୁକୁର

 

କୁଜା ବୋଲି ଗୋଟେ କୁକୁର ଥିଲା

ଲାଙ୍ଗୁଳଟା ଅଧେ ନାଇଁ

ଯାହାକୁ ଦେଖିବ ପାଖକୁ ଆସି

ହୁଏ ଖାଲି କୁଇଁ କୁଇଁ ।

କାଣି ବୋଲି ଗୋଟେ ବୁଢ଼ୀ ବିଲେଇ

ରଥୀଘରେ ଥିଲା ରହି

ମୂଷା ଧରି ଖାଏ ଅନ୍ଧାର ଘରେ

ଆଖିଟେ ତାହାର ନାଇଁ ।

ଗୋପ ରଖିଥାଏ କୁଜାକୁ ବାନ୍ଧି

ତାଙ୍କ ଘର ଦାଣ୍ଡ ପଟେ

କଟା ଲାଙ୍ଗୁଳକୁ ହସନ୍ତି ଦେଖି

ଯିଏ ଯିଏ ସେଇ ବାଟେ ।

କୁକୁରଟା କିନ୍ତୁ ଲାଗୁଣୀ ଭାରି

ମାଙ୍କୁଡ଼କୁ ଧରି ମାରେ

ଚଉକିରେ ବସି ପିଇବ ଚାହା

ତାକୁ ଯଦି କୁହ ଥରେ ।

କାଣି ବିଲେଇଟା କହିଲା ଦିନେ

‘‘ତୁ ଉ ହେଲୁ ମୋ’ ଭାଇ”

କୁକୁର କହିଲା “ଆସିବୁ ନିତି

ଦୁଃଖ ସୁଖ ହେବା ପାଇଁ ।”

କାହାଘରେ କେବେ ଆଇଁଷ ହେଲେ

ଧରି ଆସେ ସବୁ ଜାଣି

ଉହାଡ଼ରେ ଦୁହେଁ ଖାଆନ୍ତି ବସି

ଲୋକେ ନ ପାରନ୍ତି ଜାଣି ।

ଗାଆଁ ସାରା ଖାଲି ପଡ଼ିଲା ହୁରି

“କାଣି ବିଲେଇକୁ ମାର”

ଠେଙ୍ଗାଧରି କିଏ ଧାଇଁବ ଯଦି

କାଣି ହୋଇଯାଏ ପାର ।

ଲୋକମାନେ ବସି ଭାଳିଲେ “କିଏ

କାଣିକୁ ପାରିବ ମାରି”

ଗୋପ ଶୁଣୁଥିଲା କହିଲା ତାଙ୍କୁ

“ଆମ କୁଜା ଦେବ ଧରି” ।

ସେତେବେଳେ ଜଣେ କହିଲା ଆସି

‘ଏଇତ ଯାଉଛି କାଣି’

ଧଅ, ଧଅ ବୋଲି କହିଲା ଗୋପ

କୁଜା କିନ୍ତୁ ଶୁଣିଲାନି ।

କୁଜା ଭାବିଲା “ଏ ଭଉଣୀ ମୋର

ମାରିବି କିପରି ତାକୁ

କେତେ ଥର ଇଏ ଦେଇଛି ଆଣି

ଭଲ ମନ୍ଦ ଖାଇବାକୁ” ।

ଗୋପ ଜାଣିଲା ସେ ମାନୁନି ତାକୁ

ପାକାଇଲା ଦୁଇ ଠେଙ୍ଗା

ମୁହଁ ମାଡ଼ି ତଳେ ପଡ଼ିଲା କୁଜା

ପିଠି ହୋଇଗଲା ବଙ୍କା ।

ଥମ ଥମ ହୋଇ ଭୂଇଁରୁ ଉଠି

ରାଗେ ହେଲା ଜର ଜର

ଭାବିଲା “ମାଡ଼ ମୁଁ ଖାଇଲି ଆଜି

ବିଲେଇଟା ପାଇଁ ଛାର” ।

ଖପ୍ କରି ଧାଇଁ ବିଲେଇଟାର

ପେଟ ଧରି ଦେଲା ଚିରି

ଗାଆଁ ଲୋକେ ଦେଖି କହିଲେ ହସି

“କାଣି ଗଲା ଆଜି ମରି” ।

ମନେ ମନେ କୁଜା ଭାବିଲା ବସି

“ହୋଇଲି ମୁଁ ଓଲା ବଡ଼

ଚୋରି ଚିଜ ସିନା ଖାଇଲି ବୋଲି

ପାଇଲି ମୁଁ ଠେଙ୍ଗା ମାଡ଼” ।

☆☆☆

 

ଅଳସୁଆ ହେବା ଫଳ

 

କୁନି, ମିନି, ଚିନି, ସରଳା, ଶକୁ

ଜୟନ୍ତୀ, ବାସନ୍ତୀ, ଭାନୁ

ନଟ, ବଟ, ଜଟ, ଶଇଳ, ସର

କମଳୀ, କାକଳୀ, ଅନୁ

ଯେତେ ପିଲା ଥିଲେ ଘେରିଲେ ବସି

ଡମଣା ଅଜାଙ୍କୁ ଦିନେ,

କାହାଣୀ ଶୁଣିବେ କହିଲେ ହସି

ଗୋଡ଼ ଘଷି ଦେଲା ଜଣେ ।

ଖୁଉଁ, ଖୁଉଁ କାଶି କହିଲେ ଅଜା-

“ଶୁଣ ପିଲେ ମନଦେଇ,

କଥାଟା ଶୁଣିଲେ କେବେହେଁ ତମେ

ଅଳସୁଆ ହେବ ନାଇଁ ।

ଝଙ୍କାଳିଆ ଗଛ ପୂରୁବ ଦିଗେ

ଦେଖୁଅଛ ତମେ ଯାହା,

ରହୁଥିଲେ ଆଗେ ରାତିରେ ସେଠି

ବଇଆ ଚଢ଼େଇ, କୁଆ ।

ବାଇଆ ଜାଣିଲା ବରଷା ଋତୁ

ଆସିଯିବ କିଛି ଦିନେ,

ଅଳସୁଆ ନୋହି ଗୋଟିଏ ବସା

ତିଆରି କଲା ଯତନେ ।

ଖାଇବା ଜିନିଷ ରଖିଲା ଆଣି

ଜାଣିଥିଲା ସିଏ ଯେ’ଣୁ,

ଘୋର ବରଷାରେ ଖାଇବା ପାଇଁ

ମିଳିବନି ତାକୁ କେ’ଣୁ ।

ଅଳସୁଆ କୁଆ ଫୁର୍ତ୍ତି ମାରି

ବୁଲୁଥାଏ ଗାଆଁ ଗାଆଁ,

ଏଣୁ ଖୁଦ ତେଣୁ- ଶୁଖିଲା ଭାତ

ଖାଇ କରେ କାଆ, କାଆ ।

ଘୋର ଗରଜନେ ବରଷା ହେଲା

ପାଣି ବହେ ଝର ଝର

ସାଇଁ ସାଇଁ ସାଇଁ ପବନ ବହି

ଗଛ ହେଲା ମର ମର ।

ଚକ୍ ଚକ୍ ଚକ୍‍ ବିଜୁଳି ମାରି

ଚମକାଇ ଦେଲା ଛାତି

ପାଣି ଖାଲି ପାଣି ଦେଶଟା ଯାକ

ସେତେବେଳେ ଥିଲା ରାତି ।

ବାଇଆ ଶୋଇଚି ବସାରେ ତାର

ପାଣିକୁ ନାଇଁ ଖାତର

ପବନରେ ବସା ଦୋହଲୁ ଥାଏ

ଟିକେ ହେଲେ ନାଇଁ ଡର ।

ଥୁରୁ ଥୁରୁ ଥୁରୁ ଥରିଲା କୁଆ

ପାଣି ଓ ପବନ ଖାଇ

ସେତେବେଳେ ସିଏ ଭାବିଲା ବସି

‘ବସାଟିଏ କଲା ନାଇଁ....’

ବାଇଆ ପାଖକୁ ଧାଇଁଲା କୁଆ

ବାଇଆ କହିଲା ‘ଭାଇ.....

ଛୋଟ ବସା ମୋର ଏଥିରେ ତୋର

ଦେହତ ଧରିବ ନାଇଁ.....’

ଶୁଣୁଅଛ ପିଲେ... କହିଲେ ଅଜା

ଅଳସୁଆ ଯଦି ହେବ

କୁଆ ପରି ତମେ ଜୀବନ ସାରା

ଦୁଃଖ ଖାଲି ପାଉଥିବ ।

Image